କହିଲେ କୁଳ କୁଟୁମ୍ବକୁ ଲାଜ – Dharitri

Spread the love


ଅକ୍ଷୟ କୁମାର ମିଶ୍ର

ମୋସମେତ ସମସ୍ତେ ଆଜି କାଠଗଡ଼ାରେ। ଗୀତା ଛୁଇଁ ଶପଥ କରି କୁହୁଛୁ, ‘ଯାହା କହିବି ସତ କହିବି, ଆଦୌ ମିଛ କହିବି ନାହିଁ।’ କିନ୍ତୁ ସଭିଏଁ ମିଛ ହିଁ କହୁଛୁ। ସତ କହିବାର ସାହସ ଆମଠି ନାହିଁ। କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସିଯାଉଛି ।
କହିଲେ କେଉଁଠି ନା କେଉଁଠି ଅଙ୍ଗୁଳି ନିଜ ଆଡ଼କୁ ଉଠିବାର ସମ୍ଭାବନା ଅଛି। ମଣିଷ ଏମିତି ଏକ ପ୍ରାଣୀ, ଯିଏ ଅନ୍ୟର ଦୋଷ ଧରିବାକୁ ଭଲପାଏ। କିନ୍ତୁ ନିଜ ଦୋଷ ଦୁର୍ବଳତା କଥା ଉଠିଲେ, ”ତା ପାଇଁ ଏମିତି ହେଲା, ସେମାନେ ସେମିତି କରିଦେଲେ, ମୋ କଥା ରହିଲା ନାହିଁ, ମୋତେ ଏତେଟା ଅଧିକାର ଦିଆଯାଇ ନାହିଁ“ ଇତ୍ୟାଦି କେତେ ଯୁକ୍ତି ଉପସ୍ଥାପନ କରି ନିଜକୁ ଦୋଷମୁକ୍ତ କରିବାକୁ ଚେଷ୍ଟା କରେ। ଅବଶ୍ୟ ଏଥିପାଇଁ ଆମ ବ୍ୟବସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଥିବା ତ୍ରୁଟିପୂର୍ଣ୍ଣ ପ୍ରାବଧାନ ମଣିଷର ସ୍ବାଧୀନ ଇଚ୍ଛା ଉପରେ ଲଗାମ ଲଗାଇଦିଏ। ସେଇଥିପାଇଁ ବ୍ୟବସ୍ଥାରେ ଜଡ଼ିତ ଥିବା ମୁଖ୍ୟ ପୁରୋଧାମାନଙ୍କୁ ଅଧିକ ଦାୟୀ କରାଯାଏ।
ଅପ୍ରିୟ ହେଲେ ମଧ୍ୟ ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥାର କିଛି କଥା ଏହି ପ୍ରବନ୍ଧ ମାଧ୍ୟମରେ ଉଠାଇବାକୁ ଚେଷ୍ଟା କରିଛି। କଥାଟି ଆରମ୍ଭ କରିବି ୨୦୨୧- ବୋର୍ଡ଼ ପରୀକ୍ଷା ବାତିଲକୁ ନେଇ। ଏହି କଥା ସହିତ ପୂର୍ବାପର ଅନେକ ପ୍ରସଙ୍ଗ ଜଡ଼ିତ। ଏଣୁ ବହୁ ପ୍ରସଙ୍ଗ ଆଲୋଚନା ଭିତରକୁ ଆପଣାଛାଏଁ ଟାଣି ହୋଇଆସିବ। ଆମେ ସମସ୍ତେ ଜାଣିଛେ, ୨୦୨୦ ମାର୍ଚ୍ଚ ୧୭ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ କରୋନା କାରଣରୁ ତାଲା ଝୁଲୁଛି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ବିଦ୍ୟାଳୟ ବାରଣ୍ଡା ମାଡ଼ିବାକୁ ସୁଯୋଗ ପାଇ ନାହାନ୍ତି। ବିନା ପଢ଼ାରେ, ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। କରୋନାର ଦ୍ୱିତୀୟ ଲହରକୁ ଦେଖି ନବମ ଓ ଏକାଦଶ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ମଧ୍ୟ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଯାଇଛି। ଅବଶ୍ୟ ଏମାନଙ୍କ ପାଇଁ ଦୁଇ ମାସିଆ ଶିକ୍ଷାଦାନ କାର୍ଯ୍ୟକ୍ରମ କରାଯାଇପାରିଛି। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଶିକ୍ଷା ବିଭାଗ ଅଧିକ ତପତ୍ରତା ପ୍ରକାଶ କରି ୧୦୦/୩୬୫ର ପାଠପଢ଼ା ବନାମ ୭୦/୧୦୦ର ପାଠ୍ୟଖସଡ଼ାକୁ ନେଇ କାର୍ଯ୍ୟସାରଣୀ ପ୍ରସ୍ତୁତ କରିଥିଲେ। ସବୁ ଅଭାବ ଅସୁବିଧାକୁ ପ୍ରତିହତ କରି ଶିକ୍ଷକ ପଢ଼ାଇଲେ, ପିଲାମାନେ ପଢ଼ିଲେ। ବାସ୍ତବରେ ବୋର୍ଡ଼ ପରୀକ୍ଷା ଛାତ୍ର, ଶିକ୍ଷକ, ଅଭିଭାବକ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ। ପରୀକ୍ଷା ଫଳକୁ ଅନୁଧ୍ୟାନ କରି କେଉଁମାନେ ବିଜ୍ଞାନ, କଳା, ବାଣିଜ୍ୟ ପଢ଼ିବେ ଅଥବା ବୈଷୟିକ ଶିକ୍ଷାରେ ନାମ ଲେଖାଇବେ ସ୍ଥିର ହୋଇଥାଏ। ଉଚ୍ଚ ମାଧ୍ୟମିକସ୍ତରରେ ନାମଲେଖା ସମୟରେ ଚୟନ ପ୍ରକ୍ରିୟା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଥିବା ନମ୍ବର ଉପରେ ନିର୍ଭର କରେ। ଏହା ବ୍ୟତୀତ ଆଜିର ଦିନରେ ମଧ୍ୟ କିଛି କର୍ମନିଯୁକ୍ତି ମାଟ୍ରିକ୍‌ ପରୀକ୍ଷାର ନମ୍ବରକୁ ଦେଖି ସ୍ଥିର ହୋଇଥାଏ, ଯେମିତି କେନ୍ଦ୍ର ସରକାର ଅଧୀନରେ ଥିବା ଗ୍ରାମୀଣ ଡାକ ବିଭାଗ। ବୋର୍ଡ଼ ପରୀକ୍ଷା ବାତିଲ ହେବାପରେ ଏସବୁ କ୍ଷେତ୍ରରେ ଅସମ୍ଭବ ଜଟିଳତା ଦେଖାଦେବ।
ତା’ପରେ ଆସିବ ପରୀକ୍ଷାଫଳ ସମ୍ପର୍କରେ। ସୂଚନା ମିଳୁଛି, ଚାରୋଟି ପ୍ରାକ୍ଟିସ୍‌ ପରୀକ୍ଷାରେ ରଖିଥିବା ସର୍ବୋଚ୍ଚ ନମ୍ବରକୁ ବୋର୍ଡ଼ ପରୀକ୍ଷାର ନମ୍ବର ଧରାଯାଇ ପରୀକ୍ଷାଫଳ ପ୍ରକାଶ ପାଇବ। ମାତ୍ର ଏହି ପରୀକ୍ଷାଗୁଡ଼ିକ ନିମନ୍ତେ ବୋର୍ଡ଼ ଛାଡ଼ୁଥିବା ପ୍ରଶ୍ନପତ୍ର ପରୀକ୍ଷା ପୂର୍ବଦିନ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ହେଉଥିଲା। ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ ଛାତ୍ରୀଛାତ୍ରମାନେ ପାଉଥିଲେ। ସବୁଠାରୁ କୌତୂହଳର ବିଷୟ ହେଉଛି, ଚତୁର୍ଥ ପ୍ରାକ୍ଟିସ ପରୀକ୍ଷା ହେବା ପୂର୍ବରୁ ବୋର୍ଡ଼ କେଉଁ ଆଧାରରେ ପରୀକ୍ଷାଫଳ ପ୍ରକାଶ କରିବ ଏକଥା ସମସ୍ତଙ୍କୁ ଜଣାପଡ଼ି ଯାଇଥିଲା। ଅର୍ଥାତ୍‌ ପରୀକ୍ଷା ଏକ ପ୍ରହସନ ପାଲଟି ଯାଇଥିଲା। ଆଠ ନମ୍ବର ରଖିବାକୁ ସକ୍ଷମ ନଥିବା ପିଲାଟି ଅଶୀ ନମ୍ବର ରଖିଲା। ପରୀକ୍ଷାରେ ସାଧୁତା ଅବଲମ୍ବନ କରିବା କଷ୍ଟ ଥିଲା। ମୂଲ୍ୟାୟନ ସମୟରେ ଯେ ଶିକ୍ଷକଙ୍କୁ ଅଧିକ ନମ୍ବର ଦେବା ପାଇଁ ଚାପ/ଧମକ ଆସି ନ ଥିବ, ଏକଥା ମଧ୍ୟ କୁହାଯାଇ ନ ପାରେ। ପୁଣି ବୋର୍ଡ଼ ଯଦି ପିଲାଙ୍କର ମାର୍କ ମାଗେ, ସେତେବେଳେ ପ୍ରଧାନଶିକ୍ଷକ ବହୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରଥମତଃ ସରକାର ବିଦ୍ୟାଳୟ ଖୋଲିବା ସମୟରେ କହିଲେ, ସ୍କୁଲକୁ ଆସିବା ପିଲାଙ୍କର ଇଚ୍ଛା ଉପରେ ନିର୍ଭର କରେ। ଯେଉଁମାନେ ଆସିବେ ତାଙ୍କ ଅଭିଭାବକ ଅଣ୍ଡରଟେକିଂ ଲେଖିଦେବେ। ଏହାକୁ ଦୃଷ୍ଟିରେ ରଖି ବେଶ୍‌ କିଛି ପିଲା ଆସିଲେ ନାହିଁ। ପୁଣି ପରୀକ୍ଷାରେ ମଧ୍ୟ ବହୁ ପିଲା ଅନୁପସ୍ଥିତ ରହିଲେ। ଏହି ପିଲାମାନଙ୍କ କଥା ଭାବିବା ବେଳକୁ ଶିକ୍ଷକର ଅବସ୍ଥା ‘ଗାଈକୁ ମାଇଲେ ମଲି, ଗାଈ ମାଇଲେ ମଲି’। ଦ୍ୱିତୀୟରେ ପ୍ରଶ୍ନପତ୍ର ପ୍ରଘଟକୁ ଲକ୍ଷ୍ୟକରି ଯେଉଁ ପ୍ରଧାନଶିକ୍ଷକ ପରୀକ୍ଷା କରିନାହାନ୍ତି, ଅଥବା ନିଜସ୍ବ ପ୍ରସ୍ତୁତ ପ୍ରଶ୍ନରେ ପରୀକ୍ଷା କରିଛନ୍ତି ସେମାନେ ଏବେ ଅଡ଼ୁଆରେ ପଡ଼ିଛନ୍ତି। ସ୍ବଚ୍ଛତା ସେମାନଙ୍କ ପାଇଁ ସମସ୍ୟା ସାଜିଛି। ହେଲେ କରିବେ କ’ଣ, ସବୁ ତପସ୍ୟା ଶୁଖୁଆ ପୋଡ଼ାରେ ଯିବ। ମିଛର ଆଶ୍ରୟ ବ୍ୟତୀତ ଅନ୍ୟ ଗତି ନାହିଁ। ତୃତୀୟରେ ପରୀକ୍ଷାଫଳ ପ୍ରକାଶ ପାଇବା ପରେ କିଛି ଅପ୍ରୀତିକର ପରିସ୍ଥିତି ମଧ୍ୟ ଉପୁଜିପାରେ। ପୁନଶ୍ଚ ଏକ୍ସ-ରେଗୁଲାର, ମୁକ୍ତ ବିଦ୍ୟାଳୟ, ମଧ୍ୟମା ଏବଂ ପତ୍ରମାଧ୍ୟମରେ ପରୀକ୍ଷା ଦେଉଥିବା ପିଲାମାନେ ଆଜି ଅନିଶ୍ଚତତା ଭିତରେ। ଯେଉଁ ପିଲାମାନେ ପ୍ରତ୍ୟହ ବିଦ୍ୟାଳୟ ଆସୁଥିଲେ, ପରୀକ୍ଷା ପାଇଁ କଠିନ ପରିଶ୍ରମ କରୁଥିଲେ, ସେମାନେ ସମସ୍ତେ ଧୁଆ ମୂଳା ଅଧୁଆ ମୂଳା ସହିତ ସମାନ ହୋଇଯିବାର ଯନ୍ତ୍ରଣା ନିଶ୍ଚୟ ଅନୁଭବ କରୁଥିବେ।
କଥା ହେଉଛି, ବୋର୍ଡ ପରୀକ୍ଷା ବାତିଲ କରିବା ବ୍ୟତୀତ ଆଉ କିଛି ବିକଳ୍ପ ପନ୍ଥା ଥିଲା କି ? ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ମେ ୩ ତାରିଖଠାରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହୋଇଥାଆନ୍ତା। ଯେତେବେଳେ କରୋନା ସଂକ୍ରମଣ ଶିଖର ଛୁଇଁବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି, ସେଭଳି ଜଟିଳ ପରିବେଶ ଭିତରେ ୬ ଲକ୍ଷ ୪୨ ହଜାର ପିଲାଙ୍କ ପରୀକ୍ଷା କରିବା ସରକାର ପାଇଁ ଏକ ଚ୍ୟାଲେଞ୍ଜ ଥିଲା। କିନ୍ତୁ ଏବେ ଯଦି ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କଠାରୁ ପରୀକ୍ଷା ବାତିଲ ସପକ୍ଷରେ ଓ ବିପକ୍ଷରେ ମତ ନିଆଯିବ, ତେବେ ମନେହୁଏ ୯୯% ମତ ସପକ୍ଷରେ ହିଁ ଆସିବ । ଏହାର ପ୍ରମାଣ ଆମେ ପାଇଯିବା, ଯେତେବେଳେ କେତେଜଣ ଛାତ୍ରୀଛାତ୍ର ପରୀକ୍ଷାଫଳରେ ସନ୍ତୁଷ୍ଟ ନ ହୋଇ ପୁନର୍ବାର ପରୀକ୍ଷା ଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।
କାରଣ, ସମସ୍ତେ ଖୁସ୍‌। ଛାତ୍ର-ଶିକ୍ଷକ-ଅଭିଭାବକ ସମସ୍ତେ। ଶତ ପ୍ରତିଶତ ପରୀକ୍ଷାଫଳ ହେବ, ତାହା ପୁଣି ଗୁଣାତ୍ମକ। ଉପର ହାକିମଙ୍କ କୈଫିୟତର ଉତ୍ତର ଦେବାକୁ ପଡ଼ିବନି। ଆଗୁଆ ପ୍ରଶ୍ନ ଓ ଉତ୍ତର ଉଭୟ ଜାଣି ପିଲା ପରୀକ୍ଷା ଦେଲେ। ମାର୍କ କେତେ ରହିଲା, ତାହାବି ଜାଣିଲେ। ପରୀକ୍ଷା ପାଇଁ ଟେନ୍‌ସନ ନାହିଁ। ଫେଲ୍‌ ହେବାର ସମ୍ଭାବନା ନାହିଁ। ବରଂ ଯଦି କେହିବି କଡ଼ା ମାଷ୍ଟର ଫୁଲ ମାର୍କ ଦେବାରେ କୁଣ୍ଠାବୋଧ କରନ୍ତି, ପର ମୁହୂର୍ତ୍ତରେ ଫୋନ୍‌ ଆସିପାରେ- ସବୁଠି ସାରମାନେ ପୂରା ନମ୍ବର ଦେଉଥିବା ବେଳେ ଆପଣ କୃପଣ କାହିଁକି? ଏପରିକି ସ୍ଥଳ ବିଶେଷରେ ଯଦି ଉପର ହାକିମଙ୍କ କାନରେ ଏକଥା ପଡ଼ିବ, ତେବେ ଶୁଣିବାକୁ ମିଳିପାରେ- ପିଲା ପାସ୍‌୍‌ କରିଗଲେ କିମ୍ବା ଅଧିକ ନମ୍ବର ରଖିଲେ ଆପଣଙ୍କର ଅସୁବିଧା କ’ଣ?
ଏବର୍ଷ ଏକ ଭିନ୍ନ ପରିବେଶ ଯୋଗୁଁ ସିନା ପରୀକ୍ଷା ବାତିଲ ହୋଇଗଲା ବୋଲି ଆମକୁ ଛଳନାପୂର୍ଣ୍ଣ ଆଲୋଚନା କରିବାକୁ ସୁଯୋଗ ମିଳିଯାଇଛି। କିନ୍ତୁ ବିଗତ ବର୍ଷମାନଙ୍କରେ ଅଧିକ ପାସ୍‌ହାର ପାଇଁ ଉପରୁ ତଳ ପର୍ଯ୍ୟନ୍ତ ଯେଉଁ କସରତ ଚାଲେ ଆମେ ସବୁ ଦେଖି ନୀରବଦ୍ରଷ୍ଟା ସାଜୁଥିଲୁ। ଏବେ ଆଲୋଚନା ରଖିଲେ ପାଠକେ କହିବେ, କଙ୍କାଳକୁ ପୋଷ୍ଟମର୍ଟମ କରିବା ସମୀଚୀନ ନୁହେଁ। ତଥାପି ଏତିକି କହିବି, ଆମେ ଆମ ଭବିଷ୍ୟତ ପିଢ଼ି ସହିତ ଅନ୍ୟାୟ କରୁଛୁ। ତା’ର ଜ୍ୱଳନ୍ତ ଉଦାହରଣ ହେଲା ପରୀକ୍ଷା ନ ଦେଇ ପାସ୍‌, ପରୀକ୍ଷା ଦେଇ ଶୂନ ରଖିଲେ ମଧ୍ୟ ପାସ୍‌, ବିଦ୍ୟାଳୟ ନ ଆସିଲେ ମଧ୍ୟ ପାସ୍‌ ପୁଣି ଉଜ୍ଜ୍ୱଳ, ଉତ୍ଥାନ, ଉତ୍କର୍ଷ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ପୂର୍ବପାଠକୁ ପଢ଼ାଇବା ଦ୍ୱାରା କେତେ ପିଲା ଉପକୃତ ହେଉଛନ୍ତି ତାହାର ହିସାବ ଫର୍ଦ୍ଧ ଆଉ ଏକ ମିଥ୍ୟାର ଜମାନବନ୍ଦୀ। ଯାହାର ଯେତିକି ଯୋଗ୍ୟତା ତାକୁ ସେତିକି ପ୍ରାପ୍ତି ହେବା ଆବଶ୍ୟକ। ପ୍ରାପ୍ୟଠାରୁ ପ୍ରାପ୍ତି ଅଧିକ ହେଲେ ଗର୍ବ ଅହଙ୍କାର ବୃଦ୍ଧିପାଏ । ପୁଣି ପ୍ରାପ୍ୟଠାରୁ ପ୍ରାପ୍ତି କମ୍‌ ହେଲେ ମନରେ ହତୋତ୍ସାହ ଆସେ। ଏହାର ପ୍ରତ୍ୟକ୍ଷ ପ୍ରଭାବ ପିଲାଙ୍କ ଉପରେ ହିଁ ପଡ଼େ। ଯାହା ସମାଜରେ ଦେଖିବାକୁ ମିଳୁଛି, ବାଳ ଅପରାଧୀଙ୍କ ସଂଖ୍ୟା ବଢ଼ୁଛି। ଅନ୍ୟପକ୍ଷରେ ବିଭିନ୍ନ ପଦ ପଦବୀରେ ଅଧିଷ୍ଠିତ ହେଲାପରେ କର୍ତ୍ତବ୍ୟ ସଂପାଦନ ଅପେକ୍ଷା ମିଥ୍ୟା ପ୍ରତିଷ୍ଠା ପଛରେ ଧାବମାନ ହେବା ଦେଖିବାକୁ ମିଳୁଛି। ଏ ସମସ୍ତ ବିଲକ୍ଷଣ ପଶ୍ଚାତ୍‌ଭାଗରେ ଆମର ଉଦାରବାଦୀ ନୀତିର କୌଣସି ସମ୍ପର୍କ ନାହିଁ କହିବା ଭୁଲ ହେବ। ଏଇଥିପାଇଁ ପ୍ରଥମେ ମୁଁ କହିଥିଲି, ଆମେ କାଠଗଡ଼ାରେ ଛିଡ଼ା ହୋଇ ମିଛ କହିଚାଲିଛୁ। କାହାକୁ ଅସନ୍ତୁଷ୍ଟ ନ କରିବା ପାଇଁ ଆମର ଯପତ୍ରୋନାସ୍ତି ଉଦ୍ୟମର ଫଳ ହିଁ ଆମକୁ ସତ୍ୟଠାରୁ ଦୂରେଇ ରଖୁଛି। ମନେରଖିବା ଉଚିତ ଏମିତି ହେଲେ କୁଳ ଭାସିଯିବା ସୁନିଶ୍ଚିତ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ: ୭୦୦୮୦୭୩୫୯୯





Source link

Leave a Reply

Your email address will not be published. Required fields are marked *