ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଙ୍ଗନୱାଡି ସ୍ବାମୀଙ୍କ ଧମକ । – JMJ NEWS

Spread the love


ରା,ଉଦୟଗିରି,-;ଜେଏମଜେ ନ୍ୟୁଜ/ମନୋଜ ପାଢ଼ୀ ): ସରକାର ମହିଳା ସଶକ୍ତିକରଣ ଓ ଶିଶୁ ପୁଷ୍ଠିହୀନତାକୁ ରୋକିବା ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । ସମଗ୍ର ଦେଶରେ ଓଡିଶା ଏହି ଦୁଇଟି ଯୋଜନାରେ ସଫଳ ରୂପୟାନ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ବ୍ୟାପକ ପ୍ରଚାରପ୍ରସାର ହେଉଛି । କିନ୍ତୁ ଦୁର୍ଗମ ଅଞ୍ଚଳ ଗୁଡିକରେ ଏହା କିଭଳି କାର୍ଯ୍ୟକାରୀ ହେଉଛି ସୂର୍ଯ୍ୟଙ୍କୁ ଟର୍ଚ୍ଚ ଲାଇଟ୍ ପକାଇବା ସହ ସମାନ ଅଟେ । ବିଭାଗୀୟ କତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ହେଉ କିମ୍ବା କାର୍ଯ୍ୟରତ କର୍ମଚାରୀଙ୍କ ସମ୍ପର୍କୀୟ ମାନେ ସରକାରୀ କାର୍ଯ୍ୟରେ ଅନାଧିକାର ଓ ବଳପୂର୍ବକ ହସ୍ତକ୍ଷେପ କରି କାର୍ଯା ସମ୍ପାଦନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାର ପରିଲକ୍ଷିତ ହେଉଛି । ଯଦ୍ୱାରା କି ସରକାର ଜନସାଧାରଣଙ୍କ କରିଥିବା ଯୋଜନା ଗୁଡିକ ସାମୁହିକ ବିକାଶ ହେବା ପରିବର୍ତ୍ତେ କିଛି କର୍ମଚାରୀ ଓ ତାଙ୍କର ସମ୍ପର୍କିୟଙ୍କ ବ୍ୟକ୍ତିଗତ ସ୍ୱାର୍ଥସାଧନ ହେବାରେ ସହାୟକ ହେଉଛି । ପୂର୍ବରୁ ମହିଳା ମାନେ ପ୍ରତିନିଧି ମାନେ ନିର୍ବାଚିତ ହେଉଥିଲେ ସେଠାରେ ତାଙ୍କର ସ୍ୱାମୀ,ଭାଇ କିମ୍ବା ତାଙ୍କ ପରିବାରର କୌଣସି ପୁରୁଷ ସଦସ୍ୟ ମାନଙ୍କ ଦ୍ୱାରା ପରିଚାଳିତ ହେଉଥିବାର ଅନେକ ନଜିର ରହିଛି । ବିଶେଷ କରି ତ୍ରିସ୍ଥରୀୟ ପଞ୍ଚାୟତୀରାଜ ବ୍ୟବସ୍ଥାରେ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ କିଛି ଅଙ୍ଗନୱାଡୀ କେନ୍ଦ୍ରରେ ସେଭଳି ପରିସ୍ଥିତି ଦୃଶ୍ୟ ପ୍ରତୀୟମାନ ହେଉଛି । ତାର ନଗ୍ନ ଉଦାହରଣ ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହିଥିବା ନୂଆଗଡ ବ୍ଲକରେ ଦେଖିବାକୁ ମିଳିଛି । ନୂଆଗଡ ବ୍ଲକର ନୂଆଗଡ ଗ୍ରାମରେ ୱାର୍ଡ ନଂ-୭ ରେ ଥିବା ଅଙ୍ଗନୱାଡୀ କେନ୍ଦ୍ର-୨ରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଆସିଥିବା ଅଣ୍ଡା ବଣ୍ଟନରେ ବ୍ୟାପକ ଦୁର୍ନିତୀ କରାଯାଉଥିବାର ଅଭିଯୋଗ ହୋଇଥିଲା । ସରକାରଙ୍କ ଗାଇଡଲାଇନ୍ ମୁତାବକ ପ୍ରତିମାସରେ ଗର୍ଭବତୀ ମହିଳା ପିଛା ୧୨ଟି ଅଣ୍ଡା , ୬ମାସରୁ ୩ବର୍ଷ ମଧ୍ୟରେ ହୋଇଥବା ପ୍ରତି ଶିଶୁକୁ ୧୨ଟି ଅଣ୍ଡା ଏବଂ ୩-୬ବର୍ଷ ମଧ୍ୟରେ ହୋଇଥିବା ପ୍ରତି ଶିଶୁକୁ ୨୦ଟି ଲେଖାଁଏ ଅଣ୍ଡା ଅଙ୍ଗନୱାଡୀ କେନ୍ଦ୍ରରେ ପ୍ରଦାନ କରାଯିବ । ନୂଆଗଡ ଗ୍ରାମର ୱାର୍ଡ ନଂ-୭ରେ ସିୟନ ସାହିରେ ୧୭୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ସେଥିମଧ୍ୟରୁ ୨୦ଜଣ ଗର୍ଭବତୀ ମହିଳା ଓ ୫୦ଜଣ ଶିଶୁ ରହିଥିବାର ସାହି ବାସିନ୍ଦା କହିଛନ୍ତି । ସିୟନ ସାହି କେନ୍ଦ୍ରରେ ରୌପ୍ୟ ମଞ୍ଜରୀ ଏଡଲା ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ।ସିୟନ ସାହିର ନନ୍ଦିନୀ ଏଡଲା,ରଞ୍ଜନୀ ପାଣି,ଅନିତା ପାଲ୍‌, ବିଶ୍ୱଜିତ ନାଗଙ୍କ ସମେତ ତାଙ୍କ ସମ୍ପର୍କୀୟ ମାନେ କାହାକୁ କମ୍ ତ ଆଉ କାହାକୁ ଆଦୌ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି । ଅଙ୍ଗନୱାଡୀ କେନ୍ଦ୍ରର ସମ୍ପାଦିକା ପରାନ ଜ୍ୟୋତି ପାଣି ମଇ ମାସରେ କାହାକୁ ହେଲେ ଅଣ୍ଡା ପ୍ରଦାନ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି । ପରାନ ଜ୍ୟୋତି ପାଣି ଅଙ୍ଗାନୱାଡୀ କର୍ମୀ ରୌପ୍ୟ ମଞ୍ଜରୀ ଏଡଲାଙ୍କୁ କାହିଁକି ଏପରି କରୁଛୁ ବୋଲି ପଚାରିବାରୁ ତମେ ସିଡିପିଓ କି ସୁପରଭାଇଜର ପାଖରେ ଅଭିଯୋଗ କର ବୋଲି କହିଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଏବିଷୟରେ ସେମାନେ ସିଡିପିଓଙ୍କୁ କହିଥିଲେ । ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନେ ସିୟନ ସାହିରେ ଚିତ୍ତ୍ରୋତଳନ ଓ ଅଭିଯୋଗକାରୀଙ୍କ ବାଇଟ୍ ନେଲାବେଳେ ଅଙ୍ଗନୱାଡି କର୍ମୀ ରୌପ୍ୟ ମଞ୍ଜରୀ ଏଡଲାଙ୍କ ସ୍ୱାମୀ ତଥା ୱାର୍ଡ ନଂ-୫ର ୱାର୍ଡମେମ୍ବର ଆର୍ମିଏଲ ଏଡଲା ତାଙ୍କ କିଛି ସହଯୋଗୀଙ୍କ ସହ ସେଠାରେ ପହଞ୍ଚି ଥିଲେ । ସେଠାରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସଜୌନ୍ୟ ବ୍ୟବହାର ପ୍ରଦର୍ଶନ କରିବା ସହ ଧମକଚମକ ଦେଇଥିଲେ । ଏହାପରେ ଗଣମାଧ୍ୟମ ପ୍ରତିିନିଧି ମାନେ ସିଡିପିଓ ସ୍ମୃତି ପ୍ରଧାନଙ୍କ ମତାମତ ନେବା ପାଇଁ ଯାଇଥିଲେ । ସେଠାରେ ସେ କ୍ୟାମରେ ସମ୍ମୁଖରେ କିଛି କହିବାକୁ ମନା କରିଥିଲେ ମଧ୍ୟ ସିୟନ ସାହିରେ ଅଙ୍ଗନୱାଡୀ କେନ୍ଦ୍ର-୨ର ଘଟଣା ବିଷୟରେ ତାଙ୍କ ନିକଟରେ ଅଭିଯୋଗ ହୋଇଥିବା କଥାକୁ ସ୍ୱୀକାର କରିବା ସହ ସୁପର ଭାଇଜରଙ୍କୁ ତାର ତଦନ୍ତ କରିବାକୁ କହିଛି ବୋଲି କହିଥିଲେ ।ଅଙ୍ଗନୱାଡି କର୍ମୀ ରୌପ୍ୟ ମଞ୍ଜରୀ ଏଡଲାଙ୍କ ସ୍ୱାମୀ ଆର୍ମିଏଲ ଏଡଲା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଯେଭଳି ବ୍ୟବହାର ଦେଖାଇଲେ ତାକୁ ସେ ନିନ୍ଦା କରିଛନ୍ତି । ଗଣମାଧ୍ୟମରେ ଏଖବର ପ୍ରସାରଣ ନକରିବାକୁ ବାରମ୍ବାର ଅନୁରୋଧ କରିଥିଲେ ।ଏ ସମସ୍ତ ଦୃଶ୍ୟକୁ ଗୁପ୍ତ କ୍ୟାମେରା କଏଦ କରାଯାଇଥିଲା । ଏହାପରେ ଗଣମାଧ୍ୟମ ପ୍ରତିନିଧି ମାନେ ଫେରିଲା ବେଳକୁ ନୂଆଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ରୌପ୍ୟ ମଞ୍ଜରୀ ଏଡଲାଙ୍କ ସ୍ୱାମୀ ଆର୍ମିଏଲ ଏଡଲା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିଜ ସହଯୋଗୀଙ୍କ ସହ ମିଶି ଅଟକାଇବା ସହ ଭବିଷ୍ୟତରେ ନୂଆଗଡ ଗ୍ରାମକୁ ଖବର ସଂଗ୍ରହ ନିମନ୍ତେ ନଆସିବାକୁ ଧମକ ଦେଇଥିଲେ । ଏହା ପୂର୍ବଦିନ ମଧ୍ୟ ସେ ନୂଆଗଡ ବ୍ଲକକୁ ନଆସିବାକୁ ଫୋନଯୋଗେ ଧମକ ଦେଇଥିଲେ । କିନ୍ତୁ ଧମକଚମକକୁ ୁ ଭୃକ୍ଷେପ ନକରି ନିଜ ଜୀବନକୁ ବାଜି ଲଗାଇ ଗଣମାଧ୍ୟମ ପ୍ରତିନିଧି ମାନେ ନୂଆଗଡ ଗ୍ରାମକୁ ଯାଇ ଖବର ସଂଗ୍ରହ କରିଥିଲେ ।
ସୂଚନାଯୋଗ୍ୟ ଯେ ସରକାର କୋଭିଡ୍‌-୧୯ ମହାମାରୀ ଚାଲିଥିବା ସ୍ୱତ୍ତ୍ୱେ ବି ଗର୍ଭବତୀ ମହିଳା ଓ ଶିଶୁମାନେ କିଭଳି ପୁଷ୍ଟିକର ଖାଦ୍ୟ ଓ ଅଣ୍ଡା ଘରେଘରେ ପହଞ୍ଚି ପାରିବ ନିର୍ଦ୍ଦେଶ ଦେଇଛନ୍ତି । ତାର ତଦାରଖ କରିବାର ଦାୟିତ୍ୱ ପ୍ରଶାସନିକ ଅଧିକାରୀଙ୍କ ରହିଛି । ସେହିଭଳି ହିତାଧିକାରୀଙ୍କୁ ସେହି ସୁବିଧାଗୁଡିକ ନମିଳେ ଗଣମାଧ୍ୟମ ଜରିଆରେ ଉଭୟ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ଅଧିକାର ମଧ୍ୟ ସେମାନଙ୍କ ରହିଛି । ତେବେ କାହା ଇଙ୍ଗିତରେ ଅଙ୍ଗନୱାଡୀଙ୍କ ସ୍ୱାମୀ ଏର୍ମିଆଲ ଏଡଲା ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ସଂଗ୍ରହ କରିବାକୁ ନଆସିବା ନିମନ୍ତେ ଫୋନରେ ଧମକ ଦେବା ଓ ଘଟଣାସ୍ଥଳରେ ପହଞ୍ଚିଲା ପରେ ଅଭିଯୋଗକାରୀ ମାନଙ୍କ ଠାରୁ ମତାମତ ସଂଗ୍ରହ ବେଳେ ସେଠାରେ ପହଞ୍ଚି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ସହ ବାରମ୍ବାର ଭିନ୍ନଭିନ୍ନ ସ୍ଥାନରେ ଧମକଚମକ ଦେଉଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗୋଟିଏ ପଟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଙ୍ଗନୱାଡୀ କର୍ମୀଙ୍କ ସ୍ୱାମୀଙ୍କ ଧମକଚମକ ଅସୌଜନ୍ୟ ବ୍ୟବହାର ଅନ୍ୟ ପଟେ ସିଡିପିଓ ଙ୍କ ନ୍ୟୁଜ୍ ନକରିବାକୁ ଅନୁରୋଧ ଯାହାକି ଅଣ୍ଡା ବାଟମାରଣା ସୁଚିନ୍ତିତ ଉପାୟରେ କରାଯାଉଥିବାର ସନ୍ଦେହ ଦୃଢିଭୁତ ହେଉଛି । ଗଜପତି ଜିଲ୍ଲାରେ ଅନ୍ୟ ସମସସ୍ତ ବ୍ଲକର ଖବର ପ୍ରଚାରପ୍ରସାର ଗଣମାଧ୍ୟମରେ ଅଧିକାଂଶ ଖବର ଲୋକଲୋଚନକୁ ଆସି ପାରୁଛି । କିନ୍ତୁ ଏହି ବ୍ଲକରେ ଆଗଧାଡିର ଖବରକାଗଜ ହେଉକି ବୈଦୁତିକ ଚ୍ୟାନେଲର ପ୍ରତିନିଧି ମାନେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ବିଶେଷ ଭାବେଖବର ପ୍ରକାଶିତ ଓ ପ୍ରସାରିତ ହେବାର ପ୍ରାୟତଃ ଦୃଷ୍ଟିଗୋଚର ହେଉନାହିଁ । କିଛି ଅସାଧୁ ସରକାରୀ କର୍ମଚାରୀ ନିଜର ଅପାରଗତା ଓ ଦୁର୍ନିତୀପୂର୍ଣ୍ଣ କାର୍ଯ୍ୟ ଗୁଡିକ ଲୋକଲୋଚନକୁ ଆସିଯିବ ଭୟରେ ସେଥି ନିମନ୍ତେ ଏଭଳି ଷଡଯନ୍ତ୍ର କରି କିଛି ସ୍ଥାନୀୟ ଗୁଣ୍ଡାଶ୍ରେଣୀୟ ଲୋକଙ୍କୁ ନେଇ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ଏଭଳି କାଣ୍ଡ ଭିଆଇବାକୁ ପ୍ରୋତ୍ସାହିତ କରିଥିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ? ତେବେ ଜିଲ୍ଲା ପ୍ରଶାସନ ଅଣ୍ଡା ବାଟମାରଣ ଘଟଣାରେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।



Source link

Leave a Reply

Your email address will not be published. Required fields are marked *

%d bloggers like this: